ଉପଜିଲ୍ଲାପାଳଙ୍କ ବାସଗୃହ ମରାମତି ବିଲ୍ କୁ ନେଇ ବିବାଦ
ଉପଜିଲ୍ଲାପାଳଙ୍କ ବାସଗୃହ ମରାମତି ବିଲ୍ କୁ ନେଇ ବିବାଦ
ଉପଜିଲ୍ଲାପାଳଙ୍କ ବାସଗୃହ ମରାମତି ବିଲ୍ କୁ ନେଇ ବିବାଦ – ଜାତିଆଣ ମନ୍ତବ୍ୟ ଓ ଦୁର୍ବ୍ୟବହାର ଅଭିଯୋଗ ରେ ୨ଟି ମାମଲା ରୁଜୁ, ରାଜନୀତି ସରଗରମ

କରଞ୍ଜିଆ, ୨୪/୦୨: କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟରେ ଘଟିଥିବା ଘଟଣା ଏବେ ଥାନା ପର୍ଯ୍ୟନ୍ତ ପହଞ୍ଚିବା ସହ ଅଞ୍ଚଳରେ ରାଜନୈତିକ ତାପମାତ୍ରା ବଢ଼ାଇଛି। ପାଲଟା ପାଲଟି ଅଭିଯୋଗକୁ ନେଇ କରଞ୍ଜିଆ ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଥିବାରୁ ଘଟଣାଟି ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ସୂଚନା ଅନୁସାରେ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିସ୍କୁ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରି କହିଛନ୍ତି ଯେ, ଏନଏସିର ପ୍ରାକ୍ତନ ଅଧ୍ୟକ୍ଷ ଗିରିଧାରୀ ପୃଷ୍ଟି, ତାଙ୍କ ସହଯୋଗୀ ଚନ୍ଦ୍ରମୋହନ ଦାସ, ସୁରେନ୍ ଖାଟୁଆ ସହିତ ଅନ୍ୟ ୩ ଜଣ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳଙ୍କ ସରକାରୀ ବାସଗୃହର ମରାମତି ଓ ସୁନ୍ଦରୀକରଣ କାର୍ଯ୍ୟର ବିଲ୍ ଶୀଘ୍ର କରିଦେବାକୁ ଚାପ ସୃଷ୍ଟି କରିଥିଲେ। ବିଲ୍ ନ କରିବାରୁ ସେମାନେ ଧମକ ଚମକ ଦେବା ସହ ଜାତିଆଣ ମନ୍ତବ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୬୦/୨୬ ରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ, ୱାର୍ଡ ନମ୍ବର ୮ର କାଉନସିଲର ରଣଜିତ୍ ଖାଟୁଆ ପାଲଟା ଅଭିଯୋଗ କରି କହିଛନ୍ତି ଯେ, ଗତ ୧୮ ତାରିଖରେ ଘଟିଥିବା ଘଟଣା ଦିନ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ୩ ନମ୍ବର ୱାର୍ଡ କାଉନସିଲର ବିଶ୍ୱଜିତ୍ ଚୌଧୁରୀ ସହ ଅନ୍ୟମାନେ ଉପସ୍ଥିତ ଥିବାବେଳେ ଚନ୍ଦ୍ରମୋହନ ଦାସ ଓ ସୁରେନ୍ ଖାଟୁଆ ବିଲ୍ ସମ୍ପର୍କରେ ଅନୁରୋଧ କରିଥିଲେ। ଏହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପାଧ୍ୟକ୍ଷ ଓ ୩ ନମ୍ବର ୱାର୍ଡ କାଉନସିଲର ତିନି ଜଣ ଉଖିପ୍ତ ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ସହ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ରହିଛି। ଏହାକୁ ପ୍ରତିବାଦ କରିବାରୁ ୱାର୍ଡ ନମ୍ବର ୧୫ର ଜଣେ ମହିଳା କାଉନସିଲରଙ୍କୁ ମଧ୍ୟ ଅପମାନ କରାଯାଇଥିବା ଓ ଅଧ୍ୟକ୍ଷା ସହ ଅନ୍ୟମାନଙ୍କୁ “ଗେଟ୍ ଆଉଟ୍” କହି ବାହାର କରିଦିଆଯାଇଥିବା ଦାବି କରାଯାଇଛି। ଏନେଇ କେସ୍ ନମ୍ବର ୬୧/୨୬ ରେ ଆଉ ଗୋଟିଏ ମାମଲା ରୁଜୁ ହୋଇଛି।
କାର୍ଯ୍ୟାଳୟର ଭିତରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ରାଜନୀତି ଉଷ୍ମତା ବଢ଼ିଛି। ଦୁଇପକ୍ଷ ଏହି ଭଳି ଗୁରୁତର ଅଭିଯୋଗ ଆଣିଥିବାରୁ ଘଟଣାଟି ଚର୍ଚ୍ଚାର କେନ୍ଦ୍ର ହୋଇପଡ଼ିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏନଏସି କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଆଧାରରେ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାର ଅଗ୍ରଗତି ଉପରେ ସମସ୍ତଙ୍କ ନଜର ରହିଛି।
