ଅଙ୍ଗ ଦାନ କରି ମହାନ ହୋଇଗଲେ ସୌମ୍ୟ : Ommtv Kalinga Vikas
ଅଙ୍ଗ ଦାନ କରି ମହାନ ହୋଇଗଲେ ସୌମ୍ୟ : Ommtv Kalinga Vikas
ଅଙ୍ଗ ଦାନ କରି ମହାନ ହୋଇଗଲେ ସୌମ୍ୟ : Ommtv Kalinga Vikas
କିମ୍ସରେ ଓଡ଼ିଶାର ପ୍ରଥମ ସଫଳ ବହୁ-ଅଙ୍ଗ ପ୍ରତିରୋପଣ
BBSR, ୧୬/୭(KV): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଟି ଅଙ୍ଗ କିମ୍ସରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ଯୁବକ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଜୁଲାଇ ୧୦ ତାରିଖରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା। କିମ୍ସ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ସୌମ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା। ଏଭଳି ପରିସ୍ଥିତିରେ ସୌମ୍ୟଙ୍କ ଅଙ୍ଗ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ସୌମ୍ୟଙ୍କ ପରିବାର ଚିନ୍ତା କରିଥିଲେ। କିମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହା ସମ୍ଭବ ହୋଇପାରିଥିଲା। ସୌମ୍ୟଙ୍କଠାରୁ ଦୁଇଟି ବୃକ୍କ ଏବଂ ଯକୃତ କଢାଯାଇ ଗୋଟିଏ ବୃକ୍କ କଟକର ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ଅନ୍ୟ ବୃକ୍କ ଏବଂ ଯକୃତ କିମ୍ସରେ ଦୁଇଜଣ ରୋଗୀଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଥିଲା।

ଏହା ଗୁରୁତର ଦୁଇ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିଥିଲା। ସୌମ୍ୟଙ୍କ ବଡ଼ ଭାଇ ରବୀନ୍ଦ୍ର କୁମାର ବେହେରା ଏ ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ ‘ମୁଁ ମୋ ସାନ ଭାଇକୁ ହରାଇଛି କିନ୍ତୁ ତା’ବଦଳରେ ମୋର ଅନ୍ୟ ଦୁଇ ଭାଇ ନୂତନ ଜୀବନ ପାଇଛନ୍ତି’। ଏହି ମହାନ କାର୍ଯ୍ୟକୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିଛନ୍ତି। ଆଜି ସକାଳେ କିମ୍ସ କର୍ତ୍ତୃପକ୍ଷ ଯୁବକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ସମ୍ମାନ ଜଣାଇଥିଲେ। ପୁରୀରେ ସୌମ୍ୟଙ୍କ ଶବଦାହ ସମୟରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଦିଆଯାଇଛି।
