ସିୱାଇଏସଡ଼ି ୪୩ ତମ ପ୍ରତିଷ୍ଠା ଦିବସ : Ommtv

ସିୱାଇଏସଡ଼ି ୪୩ ତମ ପ୍ରତିଷ୍ଠା ଦିବସ : Ommtv

ସିୱାଇଏସଡ଼ି ୪୩ ତମ ପ୍ରତିଷ୍ଠା ଦିବସ : Ommtv
ସିୱାଇଏସଡ଼ି ୪୩ ତମ ପ୍ରତିଷ୍ଠା ଦିବସ : Ommtv

ରାଜ୍ୟରେ ଆଦିବାସୀଙ୍କ ଅନ୍ତର୍ଭୁକ୍ତିକରଣ ବିକାଶ ଜରୁରୀ : ଜଷ୍ଟିସ ଅନଙ୍ଗ ପଟ୍ଟନାୟକ 
ନିଷ୍ପତ୍ତି ନିର୍ଣ୍ଣୟରେ ଆଦିବାସୀ ଗୋଷ୍ଠୀଙ୍କ ସକ୍ରୀୟ ସହଭାଗିତାକୁ ସୁଗମ କରୁଥିବା ନୀତିକୁ ମିଳୁ ପ୍ରାଧାନ୍ୟ 
ଆଦିବାସୀଙ୍କୁ ଜମି ଅଧିକାର ଜନିତ ଶୋଷଣରୁ ସୁରକ୍ଷା ମିଳୁ 
ଶିକ୍ଷା,ସ୍ଵାସ୍ଥ୍ୟସେବା, ଏଵଂ ଜୀବିକାର୍ଜନକୁ ଦିଆଯାଉ ପ୍ରାଥମିକତା
ପରିବେଶ ସୁରକ୍ଷା ସହିତ ସନ୍ତୁଳନ ବଜାୟ ରଖି ବିସ୍ତାରିତ ହେଉ ଆଦିବାସୀ ବିକାଶ ନମୁନା 
ରାଜ୍ୟରେ ତୁରନ୍ତ ପ୍ରସ୍ତୁତ ଓ କାର୍ଯ୍ୟକାରୀ ହେଉ ପେସା ନିୟମାବଳୀ 
ଭୁବନେଶ୍ୱର ତା:୨୪/୦୩
ଆଦିବାସୀଙ୍କ ଶିକ୍ଷା,ଦକ୍ଷତା ବିକାଶ ଓ ଜୀବିକାର୍ଜନକୁ ଗୁରୁତ୍ବ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଭାବୀ ଯୋଜନା କରନ୍ତୁ ବୋଲି ସୁପ୍ରିମ କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ସୋମବାର ସିୱାଇଏସଡିର ୪୩ତମ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ସ୍ପଷ୍ଟ ମତ ରଖିଛନ୍ତି ।
ଦେଶରେ ଆଦିବାସୀଙ୍କ ବିକାଶ ଓ ଓଡ଼ିଶାକୁ ଫୋକସ ଶୀର୍ଷକ ବକ୍ତୃତା ପ୍ରଦାନ କରି ଜଷ୍ଟିସ ପଟ୍ଟନାୟକ କହିଲେ ଯେ ଉନ୍ନୟନ ପାଇଁ ସମ୍ବଳ ଯୋଗାଡକୁ ପ୍ରାଥମିକତା ନାଁ ରେ ପ୍ରସ୍ତୁତ ନୀତି କାରଣରୁ ଆଦିବାସୀ ଗୋଷ୍ଠୀ ଅନେକ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି । ଯଦିଓ ଦେଶର ଆର୍ଥିକ ଲାଭ ଦୃଷ୍ଟିରୁ ଖଣି ଓ ଶିଳ୍ପ ପ୍ରକଳ୍ପ ତ୍ୱରାନ୍ୱିତ ହେଉଛି କିନ୍ତୁ ଏଥିରୁ ଆଦିବାସୀ ସମ୍ପ୍ରଦାୟ ଦୀର୍ଘକାଳୀନ ଲାଭ ପାଉ ନାହାନ୍ତି। ଅନେକ ଅଞ୍ଚଳରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ବଡ ବ୍ୟବଧାନ ଅପରିବର୍ତ୍ତିତ ରହିଛି। ଆଦିବାସୀଙ୍କ ଜମି ଅଧିକାରକୁ ସୁରକ୍ଷା ଦିଆଯିବା ସହିତ ଜଙ୍ଗଲ ଅଧିକାର ଆଇନର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ଜଷ୍ଟିସ ପଟ୍ଟନାୟକ ସିୱାଇଏସଡ଼ି ୪୩ତମ ପ୍ରତିଷ୍ଠା ଦିବସ ବକ୍ତବ୍ୟରେ ସ୍ପଷ୍ଟ କରାଇଥିଲେ।
ସହ ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ମାର୍ଗଦର୍ଶନରେ ସିୱାଇଏସଡିର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବାସ କରୁଥିବା ୬୨ ପ୍ରକାରର ଜନଜାତିଙ୍କ ମଧ୍ୟରୁ ସିୱାଇଏସଡ଼ି ୨୩ ପ୍ରକାର ଜନଜାତିଙ୍କ କଲ୍ୟାଣ ଦିଗରେ ବିଗତ ୪୦ବର୍ଷରୁ ଅଧିକ ସମୟ ଧରି କାମ କରୁଛି। ଆଦିବାସୀଙ୍କ ଶିକ୍ଷା,ଦକ୍ଷତା ବିକାଶ, ଜୀବିକା ଦିଗରେ ସଂଗଠନ ସଙ୍କଳ୍ପିତ ପ୍ରୟାସ ଜାରୀ ରଖିଛି।
ସମ୍ବିଧାନ ବିଧି ବ୍ୟବସ୍ଥା ଅନୁଯାୟୀ ଆଦିବାସୀଙ୍କ ପାଇଁ ରହିଛି ସଂରକ୍ଷଣ ସୁବିଧା। କିନ୍ତୁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଓ ସମ୍ବଳ ଅଭାବରୁ ସରକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ବର୍ଗ । 
ଜଙ୍ଗଲ ଅଧିକାର ଆଇନ ୨୦୦୬ ମୁଖବନ୍ଧରେ ଆଦିବାସୀ ଜମି ଅଧିକାର କ୍ଷେତ୍ରରେ ସେମାନଙ୍କ ପ୍ରତି ଐତିହାସିକ ଅନ୍ୟାୟ ହୋଇଛି ବୋଲି କୁହାଗଲା ,କିନ୍ତୁ ଅଦ୍ୟାବଧି ସେମାନଙ୍କୁ ଜଙ୍ଗଲ ଜମିର ଶିରୋନାମା ପାଇଁ ସଙ୍ଘର୍ଷ କରିବାକୁ ଛାଡ଼ି ଦିଆଯାଇଛି ।
ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଓ କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହିତ ଆଦିବାସୀଙ୍କ ଉପରେ ଉଚ୍ଚତର ଗବେଷଣା ପାଇଁ ଅଧିକ ସଂସ୍ଥା ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି  ଦୋହରାଇ ଥିଲେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ।
ସିୱାଇଏସଡ଼ି ପ୍ରତିଷ୍ଠାତା ଜଗଦାନନ୍ଦ ୪୩ବର୍ଷ ଯାତ୍ରା କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହୋଇଥିବା ସୁଚାଇଥିଲେ। ଶ୍ରୀ ଜଗଦାନନ୍ଦ କହିଲେ ଯେ ବିପର୍ଯ୍ୟୟ ପରିଚାଳନା, ସୁଚନା ଅଧିକାର ଆଇନ, ସୋସିଆଲ ଅଡିଟ ତଥା ବଜେଟ ପ୍ରସ୍ତୁତି ଓ ପ୍ରାକ୍ ବଜେଟ ଆକଳନ ପାଇଁ ସିୱାଇଏସଡ଼ି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ପୂର୍ବର ଏକ ଅଧିବେଶନରେ ବରିଷ୍ଠ ସାମ୍ୱାଦିକ ତଥା ଅର୍ଗସ୍ ନ୍ୟୁଜ ଚ୍ୟାନେଲର ମୂଖ୍ୟ ସମ୍ପାଦକ ସଞ୍ଜୟ କୁମାର ଜେନା କୋରାପୁଟ,ମାଲକାନଗିରି, କେନ୍ଦୁଝର ଜିଲ୍ଳାର ପ୍ରଭାବୀ ଲୋକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୋରାପୁଟ ଜିଲ୍ଲା ମୁଡୁଲିଗୁଡ଼ା ଶ୍ରମିକ ସହଭାଗୀ ଗୋଷ୍ଠୀଙ୍କୁ ଏମ ନରେଗା କାମର ସଫଳ ରୂପାୟନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମନ୍ୱିତ ଚାଷରେ ନୁଆ ପ୍ରୟୋଗ ପାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ମୁଗୁରି ମିଣିଆକାଙ୍କୁ ସମ୍ମାନିତ କରାଯାଇଥିଲା । ୨୦ଏକର ଜମିରେ ଷ୍ଟ୍ରବେରୀ ଚାଷ କରି ନୁଆ ସମ୍ଭାବନା ଦେଖାଇଥିବା ଦଶମନ୍ତପୁର ବ୍ଲକ ମା ପାଟଖଣ୍ଡା ଉତ୍ପାଦକ ଦଳଙ୍କ ସମେତ ମିଲେଟ ସଂଗ୍ରହ ଓ ପ୍ରକ୍ରିୟାକରଣରେ ଶ୍ରେଷ୍ଠ ଯୋଗଦାନ ପାଈଁ କୋରାପୁଟ ବୈପାରିଗୁଡା ସବୁଜିମା ଉତ୍ପାଦକ କମ୍ପାନୀକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କେନ୍ଦୁଝର ସାହରପଡ଼ା ଅଞ୍ଚଳର ମା ତାରିଣୀ ଉତ୍ପାଦକ ଦଳକୁ ଡ୍ରାଗନ୍ ଫ୍ରୁଟ୍ ଚାଷରେ ପ୍ରେରଣାଦାୟୀ ଭୂମିକା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
୪ ଦିନ ବ୍ୟାପୀ ଆୟୋଜିତ ସିୱାଇଏସଡ଼ିର ୪୩ତମ ପ୍ରତିଷ୍ଠା ଦିବସର ବିଭିନ୍ନ ଅଧିବେଶନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାରେ ରୁ ଅଧିକ ଯୁବ ଆଦିବାସୀ ମୂରବୀ, ଲୋକ ସଂଗଠନ ପ୍ରତିନିଧି, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ,ନାଗରିକ ସମାଜ ପ୍ରତିନିଧି ,ସମାଜ ବିଜ୍ଞାନୀ, ବିଦ୍ୟାର୍ଥୀ , ଗୋପବନ୍ଧୁ ଫେଲୋ ଓ ସିୱାଇଏସଡ଼ି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ମାର୍ଚ୍ଚ ୨୦ ରୁ ୨୪ ବ୍ୟାପି ଆୟୋଜିତ ପ୍ରତିଷ୍ଠା ଦିବସ ସମାବେଶ ଶିକ୍ଷା, ପ୍ରତିଫଳନ ଓ ଉତ୍ସବ ଜରିଆରେ ଆଗାମୀ ସକାଳ ପାଇଁ ଅଫୁରନ୍ତ ଉତ୍ସାହ ସୃଷ୍ଟି କରିଛି ବୋଲି ପ୍ରତିଭାଗି ମାନେ ପ୍ରତିକ୍ରିୟାରେ କହିଥିଲେ। ମଧୁମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସିୱାଇଏସଡ଼ି ପ୍ରତିଷ୍ଠା ଦିବସ ସମାବେଶ:
ସରକାରୀ ସେବାର ପ୍ରଭାବୀ ପହଞ୍ଚ ପାଇଁ ଡିଜିଟାଲ ପ୍ରଯୁକ୍ତି ମାଧ୍ୟମ ହେଉ 
ଯୋଜନାରୁ କେହି ବି ଯୋଗ୍ୟ ବଞ୍ଚିତ ହୁଅନ୍ତୁନି 
ଭୟମୁକ୍ତ ରହୁ ସରକାରୀ କାର୍ଯ୍ୟାଳୟ
ବିକଶିତ ଓଡ଼ିଶା ପାଇଁ ସଭିଙ୍କ ସହଯୋଗ ଲୋଡା 
ଦୁର୍ଗମ ଅଞ୍ଚଳରେ ଦୃଢ଼ ଭାବେ ପହଞ୍ଚୁ ସରକାରୀ ଯୋଜନା
ଭୁବନେଶ୍ୱର ୨୪/୦୩
ଏବେ ସ୍ଵିଗି, ଜୋମାଟୋର ଜମାନା । ଏହା ଜରିଆରେ କିଏ ଘରେ ବସି ସାମଗ୍ରୀ କିଣି ପାରୁଛନ୍ତି ତ କିଏ ମଗାଇ ପାରୁଛନ୍ତି ଖାଦ୍ୟ। କିନ୍ତୁ ଯେଉଁଠି ଏଭଳି ଡିଜିଟାଲ ପ୍ରଯୁକ୍ତିର ଅଧିକ ବ୍ଯବହାର ହେବା କଥା ସେଠି ଏହା ହେଉନାହିଁ। ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଡିଜିଟାଲ ପ୍ରଯୁକ୍ତିର ବ୍ୟାପକ ବ୍ଯବହାର ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟ ମୂଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା। ସୋମବାର ଅଗ୍ରଣୀ ସାମାଜିକ ସଂଗଠନ ସିୱାଇଏସଡ଼ିର ୪୩ ତମ ବାର୍ଷିକ ଦିବସ ସମାବେଶର ପ୍ରାତଃ ଅଧିବେଶନରେ ଯୋଗଦେଇ ଶ୍ରୀ ଆହୁଜା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଲୋକଙ୍କ ପାଇଁ ଭୟମୁକ୍ତ ରହୁ ଓ ଲୋକେ ବିନା ଆଶଙ୍କାରେ କାର୍ଯ୍ୟାଳୟ ଗୁଡ଼ିକୁ ପରିଦର୍ଶନ କରି ଯୋଜନା ବାବଦରେ ଜାଣନ୍ତୁ ବୋଲି କହିଥିଲେ। ନିଷ୍ପତ୍ତି ନିର୍ଣ୍ଣୟ ପ୍ରକ୍ରିୟାରେ ଭାଗିଦାରୀ ହେଉଛି ଗଣତନ୍ତ୍ରର ଅସଲି ସ୍ଵାଦ ଓ ବିକଶିତ ଓଡ଼ିଶାକୁ ସାକାର ପାଇଁ ସମାଜର ପ୍ରତ୍ୟେକ ବର୍ଗଙ୍କ ସହଯୋଗ ଆବଶ୍ୟକ ଥିବା ନେଇ ଶ୍ରୀ ଆହୁଜା ମତବ୍ୟକ୍ତ କରିଥିଲେ । 
ଲୋକଙ୍କ ପାଖରେ ଅଧିକ ପ୍ରଭାବୀ ଭାବେ ସରକାରୀ ଯୋଜନା ପହଞ୍ଚିବା ଦିଗରେ ସରକାର ପ୍ରୟାସ କରୁଛନ୍ତି ବୋଲି ସୂଚାଇ ଥିଲେ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗର କମିଶନର ତଥା ପ୍ରିନ୍ସପାଲ ସେକ୍ରେଟାରୀ ଆଇଏଏସ ଆର ଏସ ଗୋପାଳନ।
ସିୱାଇଏସଡ଼ିର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ ରାଜ୍ୟରେ ଏହି ସଂଗଠନ ସୁଚନା ଅଧିକାର ଆଇନ ଓ ସାମାଜିକ ସମୀକ୍ଷା କ୍ଷେତ୍ରରେ ବିଳ୍ପବ ଆଣିଛି ବୋଲି ଦର୍ଶାଇଥିଲେ। ସେହିପରି ଆଦିବାସୀ ବିକାଶ, ଯୁବା ବର୍ଗଙ୍କ ମଧ୍ୟରେ ମତଦାନକୁ ନେଇ ସିୱାଇଏସଡ଼ି ବିଗତରୁ ଅଦ୍ୟାବଧି ବ୍ୟାପକ ସଚେତନତା କରିବା ସହିତ ବୁଦ୍ଧିଜୀବୀ, ଶିକ୍ଷାବିତ୍, ନାଗରିକ ସମାଜ, ଲୋକ ସଙ୍ଗଠନ ଓ କର୍ପୋରେଟ ଜଗତର ପ୍ରତିନିଧିଙ୍କୁ ଏକାଠି କରି ଓଡ଼ିଶା ବିକାଶ କନକ୍ଲେଭ ମଞ୍ଚ ସୃଷ୍ଟି କରିଛି ବୋଲି ଅବଗତ କରାଇଥିଲେ ।
ସିୱାଇଏସଡ଼ି କାର୍ଯକ୍ରମ ନିର୍ଦ୍ଦେଶକ ଶ୍ରୀ ବସନ୍ତ ନାୟକ ସିୱାଇଏସଡ଼ିର ୪୩ବର୍ଷର ଯାତ୍ରା ସଂପର୍କିତ ପରିସଂଖ୍ୟାନ ଉପସ୍ଥାପିତ କରିଥିଲେ। ରାଜ୍ୟର ୧୨ଟି ଜିଳ୍ଲାର ୨୩୫ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସିୱାଇଏସଡ଼ି ୧୩୦୦ଗୋଷ୍ଠୀ ମୂରବୀଙ୍କ ସମେତ ୩୦୦୦ ଲୋକ ସଙ୍ଗଠନର ବିକାଶ ଦିଗରେ କାର୍ଯ୍ୟ କରୁଥିବା  କହିଥିଲେ ଶ୍ରୀ ନାୟକ। 
କଳାହାଣ୍ଡି କେସିଙ୍ଗାର ହେମଲତା ତାଣ୍ଡି, କୋରାପୁଟ ବୈପାରିଗୁଡାରୁ ଅଭି ଦଲାରି ଓ ଭଗବତୀ ମାଝୀ ରାୟଗଡ଼ା ଜିଲ୍ଲାରୁ ପ୍ରତିଷ୍ଠା ଦିବସ ସମାବେଶରେ ଯୋଗଦେଇଥିବା କୈଳାଶ ସିକା ସିୱାଇଏସଡ଼ି ସହିତ ଯୋଡ଼ି ହୋଇ ଗ୍ରାମ ବିକାଶ କ୍ଷେତ୍ରରେ ହାସଲ କରିଥିବା ଶିକ୍ଷା ସମ୍ପର୍କରେ ସୁଚନା ଦେବା ପରେ ସିୱାଇଏସଡ଼ି ପକ୍ଷରୁ ରମେଶ ସ୍ୱାଇଁ ବ୍ଲକ ସ୍ତରୀୟ ଯୋଜନା ସହିତ ପଞ୍ଚାୟତ ଯୋଜନା ମଧ୍ୟରେ ସମନ୍ୱୟ ରହୁନି ବୋଲି ଅଭିଯୋଗ କରିବା ସହିତ ପଞ୍ଚାୟତ ଓ ଆଦିବାସୀ ବିକାଶ ବିଭାଗ ସହିତ ସମନ୍ୱୟ ଆବଶ୍ୟକ ଥିବା ନେଇ ଗୁରୁତ୍ୱାରୋପ କରିଥିଲେ । କମନ୍ ସର୍ଭିସ୍ ସେଣ୍ଟର୍ ଗୁଡିକରେ ନେଟୱର୍କ ସମସ୍ୟା ସହିତ ଗୋଟିଏ ସମସ୍ୟା ପାଇଁ ବାରମ୍ଵାର ଦୌଡିବାକୁ ପଡ଼ୁଚି ବୋଲି ଦୃଷ୍ଟି ଆକର୍ଷଣ କରାଇଥିଲେ। 
ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଓଭିସି ରିପୋର୍ଟ ଲୋକାର୍ପିତ ହୋଇଥିଲା ।
ସିୱାଇଏସଡ଼ି ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ, ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଗ୍ରାମ ବିକାଶର ପ୍ରତିଷ୍ଠାତା ଜୋ ମାଡ଼ିଏଥ ଉପସ୍ଥିତ ରହି ସାମାଜିକ କାମରେ ନିଜର ଅନୁଭବ ବର୍ଣ୍ଣନା କରିଥିଲେ ।