ପ୍ରଦୀପ ପ୍ରଧାନଙ୍କୁ ଗିରଫ ପାଇଁ ଡିସିପିଙ୍କୁ ସ୍ମାରକପତ୍ର : Ommtv
ପ୍ରଦୀପ ପ୍ରଧାନଙ୍କୁ ଗିରଫ ପାଇଁ ଡିସିପିଙ୍କୁ ସ୍ମାରକପତ୍ର : Ommtv
ପ୍ରଦୀପ ପ୍ରଧାନଙ୍କୁ ଗିରଫ ପାଇଁ ଡିସିପିଙ୍କୁ ସ୍ମାରକପତ୍ର : Ommtv

ଭୁବନେଶ୍ବର, ୧୦/୪(ଇମିସ): ବିଭିନ୍ନ ମାମଲାରେ ଜଡ଼ିତ ଥିବା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଗିରଫ ଦାବିରେ ଆଜି ପଟିଆ ଗ୍ରାମବାସୀ ଭୁବନେଶ୍ୱର ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗରୁ ପ୍ରକାଶ ଯେ, ପ୍ରଦୀପ ସୂଚନା ଅଧିକାର ଆଇନ୍ର ଅପବ୍ୟବହାର କରି ଡକ୍ୟୁମେଣ୍ଟ ଜାଲିଆତି କରିଥିବା ନେଇ ଜନୈକ ପୋଲିସ୍ ଅଧିକାରୀ ଭୁବନେଶ୍ୱରର ଏକ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ପ୍ରଦୀପ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଉଚ୍ଚ ନ୍ୟାୟାଳୟ ପ୍ରଦୀପଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଥିଲେ । ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ କଟୁ ମନ୍ତବ୍ୟ ପ୍ରଦାନ କରି କହିଥିଲେ, ଏହି ମାମଲାରେ ଜାଲିଆତି ଓ ତଥ୍ୟକୁ ଭ୍ରମାତ୍ମକ ଭାବେ ଉପସ୍ଥାପନ କରିଥିବା ଆପାତତଃ ପ୍ରମାଣ ରହିଛି । ଏହା କେବଳ ଯେ, ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁନାହିଁ, ବରଂ ଏହା ଉପରୁ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଉଛି । ପ୍ରଦୀପଙ୍କ ଭଳି ବ୍ୟକ୍ତି ସମାଜ ପ୍ରତି ବିପଦ । ଏହି ଗୋଟିଏ ମାମଲା ନୁହେଁ ପ୍ରଦୀପଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୯ରୁ ଊର୍ଦ୍ଧ୍ୱ ମାମଲା ରହିଛି ବୋଲି ପଟିଆ ଗ୍ରାମବାସୀ କହିଛନ୍ତି । ନିଜକୁ ସୂଚନା ଅଧିକାର କର୍ମୀ ବୋଲାଉଥିବା ପ୍ରଦୀପ ବିଭିନ୍ନ ସମୟରେ ଏଭଳି ଭାବେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ଓ ସମାଜର ସମ୍ମାନାସ୍ପଦ ବ୍ୟକ୍ତି ବିଶେଷଙ୍କ ସୂଚନା ଅଧିକାର ଆଇନ ଆଳରେ ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ବଦନାମ କରିଚାଲିଛନ୍ତି । ଉଚ୍ଚ ନ୍ୟାୟାଳୟ ପ୍ରଦୀପଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିବାର ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ତାଙ୍କୁ କାହିଁକି ଏଯାଏ ପୋଲିସ ଗିରଫ କରିନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସବୁବେଳେ କହିଆସୁଥିବା ବେଳେ ପ୍ରଦୀପଙ୍କ ପାଇଁ ଆଇନ କଣ ଅଲଗା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିସ୍ଥିତିରେ ବିଶେଷ କରି ଭୁବନେଶ୍ୱରରେ ପ୍ରଦୀପଙ୍କ ସାର୍ବଜନୀନ ଉପସ୍ଥିତି ଓ ଗଣମାଧ୍ୟମରେ ନିୟମିତ ଉପସ୍ଥିତି ସାଧାରଣ ଲେକଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ଅଶାନ୍ତି ସୃଷ୍ଟି କରିଛି । ଏହା ଦ୍ୱାରା ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା ହ୍ରାସ ପାଇଛି । ତେଣୁ ପ୍ରଦୀପଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଦାବି କରିଥିଲେ ।
