ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ ଘନଶ୍ୟାମ ପାଣିଗ୍ରାହୀଙ୍କ ତୃତୀୟ ଗଳ୍ପ ପୁସ୍ତକ 'ଚିର୍କୁଟ୍' ଉନ୍ମୋଚିତ: Ommtv Kalinga Vikas
ଭୁବନେଶ୍ୱର, ୨୦ ଜୁଲାଇ : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ ଘନଶ୍ୟାମ ପାଣିଗ୍ରାହୀଙ୍କ ତୃତୀୟ ଗଳ୍ପ ପୁସ୍ତକ 'ଚିର୍କୁଟ୍' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଲେଖକ ତଥା ପ୍ରକାଶନ ସଂସ୍ଥାର ଉପମହାପ୍ରବନ୍ଧକ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ବିଖ୍ୟାତ ସାହିତ୍ୟିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ଦାଶ ବେନହୁର କହିଲେ ଅତୀତକୁ ଝୁରି ହେବା ହିଁ ସୁଖଦ ଅନୁଭବ। ବ୍ୟକ୍ତିଗତ ଅନୁଭବ ଓ ଅନୁଭୂତି ହିଁ ସୃଜନ ସାହିତ୍ୟର ଭୃଣ । କଳ୍ପନାର କାରୁକାର୍ଯ୍ୟରେ ତାହା ସାର୍ବଜନୀନ ସାହିତ୍ୟ ପାଲଟିଯାଏ । ଶ୍ରୀ ପାଣିଗ୍ରାହୀଙ୍କ ଭଳି ପ୍ରକାଶନ-ବିମୁଖ ଲେଖକକୁ ପେନ୍ ଇନ୍ ବୁକ୍ସ ପ୍ରକାଶମନସ୍କ କରେଇପାରିଛି, ଫଳରେ ଦୁଇବର୍ଷ ଅବଧିରେ ଶ୍ରୀ ପାଣିଗ୍ରାହୀଙ୍କର ତିନୋଟି ଲୋକପ୍ରିୟ ଗଳ୍ପ ସଂକଳନର ପ୍ରକାଶନ ସମ୍ଭବ ହୋଇଛି । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସୁଖ୍ୟାତ ସାହିତ୍ୟିକ ତଥା ଗଳ୍ପ ପତ୍ରିକା 'କଥା'ର ସଂପାଦକ ଶ୍ରୀ ଗୌରହରି ଦାସ କହିଲେ ଯେ ତିନି ଦଶନ୍ଧି ପୂର୍ବେ 'ଅର୍ପଣ' ପତ୍ରିକା ଆରମ୍ଭ କରି ସାହିତ୍ୟର ସେବା କରିଥିବା ଗାଳ୍ପିକ ଶ୍ରୀ ଘନଶ୍ୟାମ ପାଣିଗ୍ରାହୀ ମଞ୍ଚ, ସ୍ୱୀକୃତି ତଥା ପ୍ରଶସ୍ତିର ଅପେକ୍ଷା ନ ରଖି ନିରବରେ ଲେଖାଲେଖି ଜାରି ରଖିବା ସାହିତ୍ୟ ଜଗତ ପାଇଁ ଶୁଭଙ୍କର ।

ନିଜ ଅଙ୍ଗେନିଭା ଅନୁଭୂତିକୁ ଚମତ୍କାର ଭାବେ ଶବ୍ଦରେ ସଜେଇବାରେ ଶ୍ରୀ ପାଣିଗ୍ରାହୀ ବେଶ୍ ପାରଙ୍ଗମ । ତାଙ୍କ କାହାଣୀରେ ବିଭିନ୍ନ ବର୍ଗର ପାଠକ ନିଜକୁ ଓ ନିଜ ସମୟକୁ ଠାବ କରିପାରିବେ। ପ୍ରେମ, ଦୁଃଖ, ଅବସୋସ୍, ଧର୍ମୀୟ ସହାବସ୍ଥାନ ଓ ମାନବିକ ସମ୍ବେଦନାରେ ସମୃଦ୍ଧ ଗପଗୁଡ଼ିକ ବେଶ୍ ପାଠକୀୟ ଆଦୃତି ଲାଭ କରିବ ବୋଲି ଶ୍ରୀ ଦାସ ଆଶା ପ୍ରକଟ କରିଥିଲେ । ସଭାମୁଖ୍ୟ ଶ୍ରୀ ମହାପାତ୍ର କହିଲେ ଯେ ଶ୍ରୀ ପାଣିଗ୍ରାହୀ ନିଜ ପ୍ରତି ଓ ନିଜ ସାହିତ୍ୟିକ ଦାୟିତ୍ଵବୋଧ ପ୍ରତି ବେଶ୍ ସଚ୍ଚୋଟ ଓ ସଚେତନ ରହି ଗପ ଲେଖନ୍ତି, ଯାହା ଏକ ବିରଳ ଦୃଷ୍ଟାନ୍ତ | ଲେଖକ ଶ୍ରୀ ପାଣିଗ୍ରାହୀ ନିଜ ଲେଖକ ଜୀବନ ଓ ବ୍ୟକ୍ତି ଜୀବନର ଏକ ସଂକ୍ଷିପ୍ତ ଅଥଚ ଭାବପୂର୍ଣ୍ଣ ବିବରଣୀ ଉପସ୍ଥାପନ କରି ସମଗ୍ର ପ୍ରେକ୍ଷାଳୟକୁ ଭାବପ୍ରବଣ କରିଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଲେଖକ ଭାସ୍କର ପରିଚ୍ଛା ପୁସ୍ତକ ସମ୍ବନ୍ଧରେ ପାଠକୀୟ ଅଭିବ୍ୟକ୍ତି ରଖିଥିଲେ। ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥାର ସହମହାପ୍ରବନ୍ଧକ ତଥା କବି ପବିତ୍ର ମୋହନ କର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।